• A
  • A
  • A
ଜିତିଲା ପ୍ରେମ: ଭାଲେଣ୍ଟାଇନ ଡେ'ରେ ଏସିଡ୍ ଆକ୍ରମଣ ପୀଡିତାଙ୍କ ହେଲା ନିର୍ବନ୍ଧ

ଲକ୍ଷ୍ନୌ: ପ୍ରେମ ଦିବସରେ ମିଳିଗଲା ପ୍ରେମ। ଭାଲେଣ୍ଟାଇନ ଡେ'ରେ ହେଲା ନିର୍ବନ୍ଧ। ଆଗକୁ ଗଡିବ ପ୍ରେମ ଗାଡି। ଆଜି ମିଳିଗଲା ପ୍ରିୟ ସାଥୀର ସାଥ। ହଁ ଆଜ୍ଞା ଆପଣ ପଢୁଥିବା ଉକ୍ତିଟି ସତ କିନ୍ତୁ ଏହା କୌଣସି ସାଧାରଣ ଯୁବକ ଯୁବତୀଙ୍କ କଥା ନୁହେଁ। ଏହା ଜଣେ ଏସିଡ ଆକ୍ରମଣ ପୀଡିତାଙ୍କ ନୂଆ ଜୀବନ ଆରମ୍ଭର କଥା।

ପ୍ରତୀକାତ୍ମକ ଫଟୋ


ଜଗତସିଂହପୁର ତିର୍ତ୍ତୋଲ ଅଞ୍ଚଳର ଏସିଡ ପୀଡିତା ପ୍ରମୋଦିନୀ ରାଉଳ ଏବେ ନିଜ ଜୀବନର ଏକ ନୂଆ ପାହାଚରେ ପାଦ ଦେଇଛନ୍ତି। ଏହି ଭାଲେଣ୍ଟାଇନ ଡେ'ରେ ନିଜ ପ୍ରେମିକଙ୍କ ସହ ପ୍ରମୋଦିନୀ ରିଙ୍ଗ ସେରିମୋନି ସେଲିବ୍ରେଟ କରିଛନ୍ତି। ସୂଚନା ଅନୁସାରେ, ୨୦୦୯ରେ ଓଡିଶାର ଜଗତସିଂହପୁର ଜିଲ୍ଲାରେ ଘଟିଥିବା ବହୁ ଚର୍ଚ୍ଚିତ ଏସିଡ ମାଡ ଘଟଣାରେ ଗୁରୁତର ଭାବେ ଆହତ ହୋଇଥିଲେ ୨୪ ବର୍ଷୀୟା ପ୍ରମୋଦିନୀ।


ଏକତରଫା ପ୍ରେମକୁ ଜାହିର କରିବାରେ ବିଫଳ ପ୍ରେମିକ ଏହି କାଣ୍ଡ ଭିଆଇଥିଲା। ଏହି ଘଟଣାରେ ପ୍ରମୋଦିନୀଙ୍କର ଶରୀରର ୮୦ ପ୍ରତିଶତ ପୋଡିଯାଇଥିଲା। ଏହାପରେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଅବସ୍ଥାରେ ଜୀବନ ମରଣ ସହ ସଂଗ୍ରାମ କରିଥିଲେ ପ୍ରମୋଦିନୀ। ତେବେ ସାହୁ(ପ୍ରମୋଦିନୀଙ୍କ ପ୍ରେମିକ)ଙ୍କ ସହାୟତା ତାଙ୍କୁ ମାନସିକ ସ୍ତରରେ ଲଢିବାକୁ ଶକ୍ତି ମିଳିଥିବାବେଳେ ମେଡିକାଲ ଚିକିତ୍ସା ତାଙ୍କର ୨୦ ପ୍ରତିଶତ ଦୃଷ୍ଟି ଶକ୍ତି ଫେରାଇ ଆଣିଥିଲା।

"କଲେଜରୁ ପରୀକ୍ଷା ଦେଇ ଫେରୁଥିବା ସମୟରେ ମୋ ସହିତ ଏହି ଦୁର୍ଘଟଣା ଘଟିଥିଲା । ଏଥିରେ ମୁଁ ଗୁରୁତର ଭାବେ ଆହତ ହୋଇଥିଲି । ଏପରିକି ୯ ମାସ ଧରି ସରକାରୀ ମେଡିକାଲରେ ଚିକିତ୍ସା ଗ୍ରହଣ କରିବା ପରେ ଘରକୁ ଫେରିଥିଲି । ଅଧିକ ଚିକିତ୍ସା ଆବଶ୍ୟକ ଥିଲେ ମଧ୍ୟ ଆର୍ଥିକ ସମସ୍ୟା ପରିବାର ଅଣ୍ଟା ଭାଙ୍ଗିଦେଇଥିଲା" ବୋଲି ପ୍ରମୋଦିନୀ ପ୍ରକାଶ କରିଛନ୍ତି।

ପରେ ଦୀର୍ଘ ୫ ବର୍ଷ ଧରି ଖଟରେ ପଡି ରହିବା ପରେ ୨୦୧୪ରେ ପ୍ରମୋଦିନୀ ଏକ ବେସରକାରୀ ମେଡିକାଲରେ ପୁଣି ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ଏହି ସମୟରେ ଡାକ୍ତରଖାନାରେ ତାଙ୍କର ଭେଟ ହୋଇଥିଲା ସରୋଜ ସାହୁଙ୍କ ସହ। ପ୍ରମୋଦିନୀଙ୍କ କଷ୍ଟ ଦେଖି ତାଙ୍କୁ ବଞ୍ଚିବାର ନୂଆ ରାହା ଦେଖାଇଥିଲେ ସରୋଜ। ପ୍ରମୋଦିନୀଙ୍କ ପାଇଁ ମେଡିସିନ ରିପ୍ରେଜେଣ୍ଟେଟିଭ ଚାକିରୀ ଛାଡି ତାଙ୍କ ଯତ୍ନ ନେବାକୁ ଲାଗିଲେ ସରୋଜ। ପ୍ରଥମେ ବନ୍ଧୁତା ପରେ କେତେବେଳେ ପ୍ରେମରେ ବଦଳିଗଲା ତାହା ଦୁହିଁଙ୍କୁ ଜଣାନଥିଲା।

'ଷ୍ଟପ୍ ଏସିଡ ଆଟାକ୍ କ୍ୟାମ୍ପେନ' ସଂସ୍ପର୍ଶରେ ଆସିଲା ପରେ ୨୦୧୬ ଜାନୁଆରୀ ୫ ତାରିଖରେ ପ୍ରମୋଦିନୀ ଅଧିକ ମେଡିକାଲ ଚିକିତ୍ସା ପାଇଁ ଦିଲ୍ଲୀ ଆସିଥିଲେ। ଏତିକିବେଳେ ପ୍ରମୋଦିନୀଙ୍କ ଦିଲ୍ଲୀ ପ୍ରସ୍ଥାନ ସାହୁଙ୍କୁ ପ୍ରେମର ମୂଲ୍ୟବୋଧ ପଢାଇଥିଲା। ତାହାର ପରଦିନ ସାହୁ ପ୍ରମୋଦିନୀଙ୍କୁ ଫୋନ କରି ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ।

ସାହୁଙ୍କର ଏହି ପ୍ରସ୍ତାବ ପ୍ରମୋଦିନୀଙ୍କ ପାଇଁ ଏତେଟା ସହଜ ନଥିଲା। ଆଜିର ସମାଜରେ ଜଣେ ଶାରୀରିକ ଭିନ୍ନକ୍ଷମ ଏବଂ ସ୍ୱଳ୍ପଦୃଷ୍ଟି ଶକ୍ତି ପାଇଁ ପରିଚିତ ମଣିଷଟିଏ କେତେ ବାଟ ଚାଲିପାରିବ ଏହା ପ୍ରମୋଦିନୀଙ୍କୁ ବିଚଳିତ କରିଥିଲା। ଫଳରେ ସାହୁଙ୍କୁ ନେଇ ପ୍ରମୋଦିନୀଙ୍କ ସାଧାରଣ ଜୀବନ ଯାପନ ସ୍ୱପ୍ନ ଦେଖିବା ସାତ ସପନ ଥିଲା।

ପରେ ସାହୁଙ୍କ ସଙ୍କଳ୍ପ ଏବଂ ପ୍ରେମ ବଳରେ ପ୍ରମୋଦିନୀ ସାଥିରେ ଚାଲିବାକୁ ହଁ ଭରିଥିଲେ। ଏବେ ଦୁଇ ପ୍ରେମ ପକ୍ଷୀ ଖୋଲା ଆକାଶରେ ଉଡିବାକୁ ଯାଉଛନ୍ତି। ଏଠାରେ 'ଷ୍ଟପ୍ ଏସିଡ ଆଟାକ୍ କ୍ୟାମ୍ପେନ' ସଂସ୍ଥା ଦ୍ୱାରା ଚାଲୁଥିବା 'ସେରୋସ୍ ହ୍ୟାଙ୍ଗଆଉଟ୍ କାଫେ'ଠାରେ ଏହି ଭାଲେନଣ୍ଟାଇନରେ ଜୀବନ ସାରା ଦୁହେଁ ଦୁହିଁଙ୍କର ଭାଲେନଣ୍ଟାଇନ ହୋଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି କାଫେର ଆବାହକ ଆଲୋକ ଦିକ୍ଷୀତଙ୍କ କହିବା ମୁତାବକ ଦୁଇ ପ୍ରେମ ପକ୍ଷୀ ଆସନ୍ତା ବର୍ଷ ଏହି ଦିନରେ ବିବାହ ବନ୍ଧନରେ ଆବଦ୍ଧ ହେବେ।

ତେବେ ଦୁହିଁଙ୍କ ଆଗାମୀ ଯୋଜନା ହେଲା, ଓଡିଶା ଫେରିଲା ପରେ ଦୁହେଁ ଏକ 'ସେରୋସ୍ କାଫେ' ଖୋଳିବା ସହିତ ଏସିଡ ଆକ୍ରମଣ ପୀଡିତାଙ୍କୁ ସେଠାରେ ନିଯୁକ୍ତି ଦେବେ ବୋଲି ପ୍ରକାଶ କରିଛନ୍ତି।



CLOSE COMMENT

ADD COMMENT

To read stories offline: Download Eenaduindia app.

SECTIONS:

  होम

  राज्य

  देश

  दुनिया

  क्राइम

  खेल

  मनोरंजन

  इंद्रधनुष

  सहेली

  गैलरी

  टूरिज़्म

  MAJOR CITIES